Unknown

 

 

 

 

 

 

 

 

 

କେଦାର ଗୌରୀ

କବିବର ରାଧାନାଥ ରାୟ

 

ହେମାଚଳ ଶିରେ ଲ‌ଲାଟ କେଶରୀ

ରଚିଲେ ରମ୍ୟ ନ‌ଗର

ଉତ୍କଳ ଭୁବନେ ଦେଶେ ଦେଶେ ଖ୍ୟାତ

ହେଲା ଭୁବନ-ଈଶ୍ୱର ।

 

ବିନ୍ଦୁ ସରୋବର ଚାରିପାଶେ ସୌଧ;

ସୌଧ ଅନ୍ତେ ଘୋର ବନ;

ଇନ୍ଦୁ ଚାରିଦେଗେ ଧଳା ମେଘମାଳା

ନୀଳ ଗ‌ଗନ ଯେସନ ।

କେଦାର ଗୌରୀ କିଶୋର କିଶୋରୀ

ଥିଲେ ଭୁବନ ଈଶ୍ୱରେ,

ତରୁଣୀ-ତିଳକ ଗଉରୀ, ତରୁଣ

ତିଳକ କେଦାର ନରେ ।

 

ସୁନ୍ଦର ପଣକୁ ନାହିଁ ପଟାନ୍ତର

ଏକ‌କୁ ଆରେକ ବିନା;

ବାଳୁତ କାଳରୁ ଦୁହେଁ ଦୁହିଙ୍କର

ହୃଦୟ ମୂଲ୍ୟରେ କିଣା ।

 

ପାଖ ପଡ଼ିଶା ସେ ବେନି, କାନ୍ଥ ହେଲା

ବେନି ମଧ୍ୟେ ଅନ୍ତରାଳ,

ଦାରୁଣ କାନ୍ଥକୁ ଅନ୍ତକ୍ଷଣ ଶାପ

ଦେଲା ପ୍ରେମ ଅସମ୍ଭାଳ ।

 

କାନ୍ଥକୁ ବଳିଣ ହେଲେ ନିଦାରୁଣ

ବେନିଙ୍କର ଗୁରୁଜନେ,

ମଙ୍ଗଳ-ନିର୍ବନ୍ଧ ଅନ୍ଧ ହୋଇ ଭାଙ୍ଗି

ଦେଲେ ଅତି ବିଜ୍ଞ ପଣେ ।

 

ବେନି ହୃଦୟରେ ଖରତର ହୋଇ

ଜଳିଲା ପ୍ରୀତି ଅନଳ;

ମର୍ଯ୍ୟଦା ପ୍ରକୃତି- ପଥେ ଦେଲେ ବାଧା

ଫଳେ ସିନା ଏହି ଫଳ ।

 

ଭେଟ ସମ୍ଭାଷଣ ବାରିଲେ ବାରଣ

ମାନେ କି ପ୍ରେମିକ ମନ ?

ସୁକ୍ଷ୍ମକୁ ସ୍ଥୁଳରେ ପଥ ଓଗାଳିଲେ

ସ୍ଥୁଳ କି ତ‌ହିଁ ଭାଜନ ?

 

ନିର୍ମାଣ ଦିନରୁ ପ୍ରାଚୀର-ସନ୍ଧିରେ

ରନ୍ଧ୍ର ଥିଲା ଅଲକ୍ଷରେ,

ତରୁଣ ତରୁଣୀ ଝୁରୁଥାନ୍ତି ତ‌ହିଁ

କରୁଣ ଅସ୍ଫୁଟ ସ୍ୱରେ ।

 

ପ୍ରଣୟ ଉଚ୍ଛ୍ୱାସ ବେଗେ ବହୁଥିଲା

ଗୁପତେ ସେ ରନ୍ଧ୍ରପଥେ

ବାଧା ପାରି ସିନା ସାଧଇ ପୀରତି

ନିଜ କାର୍ଯ୍ୟ ଏହି ମତେ ।

 

ରବି ଅସ୍ତ ହେଲେ ବ୍ୟସ୍ତ ଦୁହେଁ ଯାଇ

ବସନ୍ତି ସେ ରନ୍ଧ୍ର ପାଶେ,

ବେନିଙ୍କ ବଦନ ଆପ୍ଳୂତ ହୁଅଇ

ବେନିଙ୍କର ଶୋକ ଶ୍ୱାସେ ।

 

କ‌ହ‌ନ୍ତି କାନ୍ଥକୁ- ‘‘ନିଦାରୁଣ ! ଏଥି

କେଉଁ ବଡ଼ପଣ ତୋର ?

ତନୁରୁ ତନୁକୁ ଅନ୍ତର କରି ତୁ

ଲଭିବୁ ଦୁଷ୍କୃତି ଘୋର ।

 

ତନୁ ମେଳେ ବାଧା ଦେଇ ଆଚରିଲୁ

ଭଗାରିପଣ ଆମ୍ଭର,

ଲବେ ଦେଇ ଦ୍ୱିଧା ଚୂମ୍ବନ ସୁବିଧା

ବିଧାନେ ସୁଦୟା କର !

 

ସାଧିଅଛୁ ହିତ କାନ୍ଥ ତୁ ବ‌ହୁତ

ଋଣୀ ଆମ୍ଭେ ତୋହଠାରେ

ବେନିଙ୍କ ବଚନ ବେନିଙ୍କ ଶ୍ରବଣେ

ଆସଇ ତୋହ କୃପାରେ ।

 

ଏହିରୂପେ ଝୁରି ଚତୁର ଚତୁରୀ

ମେଲାଣି ନିଅନ୍ତି ଦୁଃଖେ,

ଯେ ଯାହା ପାଖରେ ଚୁମ୍ବ ଦେଉଥାନ୍ତି

ପ୍ରେମ ଭୋଳେ ରନ୍ଧ୍ର ମୁଖେ ।

 

କେତେଦିନ ଅନ୍ତେ ବେନିଏ ଏକାନ୍ତେ

ଏ ମନ୍ତ୍ରଣା କଲେ ସାର,

ପ୍ରେମର ସନ୍ୟାସୀ ସନ୍ୟାସିନୀ ହୋଇ

ଦୁହେଁ ଯିବେ ଦେଶ ପାର ।

 

ନ‌ଗର ପ୍ରାନ୍ତରେ ନିର୍ମଳ ନିର୍ଝର

କୁଟଜ ବନ ବେଷ୍ଟିତ,

ବେନିଙ୍କର ଭେଟ ତ‌ହିଁ ହେବ ବୋଲି

ବେନିଏ କଲେ ନିଶ୍ଚିତ ।

 

ଅସ୍ତଗାମୀ ରବି- ବିଭା ଝଟକିଲା

ବଡ଼ ଦେଉଳ ତ୍ରିଶୂଳେ,

ଭାର୍ଗବୀ ପୁଳିନୁ ହଂସରାଳୀ ଉଡ଼ି

ଗଲେ ଖଣ୍ଡଗିରି ଚୂଳେ ।

 

ବିନ୍ଦୁ ସରୋବରେ ସିନ୍ଦୁର ଲହରୀ

ଖେଳିଲା ମନ୍ଦ ସମୀରେ,

ରଥାଙ୍ଗ ମିଥୂନ ଦୀପଦଣ୍ଡି ଛାଡ଼ି

ଗଲେ ବିପରୀତ ତୀରେ ।

 

ତିମିର ରଜନୀ ଘୋଟିଲା ଅବନୀ

ଫୁଟିଲେ ତାରା ଗ‌ଗନେ,

ବନେ ଉପବନେ କୁସୁମ ଫୁଟିଲା

ବାସ ଚ‌ହଟି ପବନେ ।

 

ଅନ୍ଧାରେ ବାହାରି ପଙ୍ଖେରୁହ ମୁଖୀ

ସଙ୍କେତ ସ୍ଥଳକୁ ଗଲା,

ପ୍ରେମରେ ମଜ୍ଜିଲେ ଅସାଧ୍ୟ ସାଧନ

ହେଳେ କରନ୍ତି ଅବଳା ।

 

କୁଟୀଳ କେଶୀ କୂଟଜ ମୂଳେ ବସି

କାନ୍ତକୁ ରହିଲା ଚାହିଁ,

ପ୍ରୀତିରେ ଢାଳିଛି ମନ ପ୍ରାଣବୋଳା

ଆନ କଥା ମନେ ନାହିଁ ।

 

ଚୌଦିଗେ ଅନ୍ଧାର, ହୃଦାକାଶ ତାର

ରାଜେ ପ୍ରେମ ସୁଧାକର,

କଣ୍ଟକ କାନନ ପୁଷ୍ପ-ଉପବନ

କଲା-ପ୍ରେମ-ବାଜିଗର ।

 

ଉଇଁଲାଣି ଶଶୀ ଅନ୍ଧକାରରାଶି

ଛାଡ଼ି ପଳାଏ ଗ‌ଗନ,

ବାରୁଣୀ ତିଳକ ପ୍ରାୟେ ଦିଶେ ଦେଖ

ଲିଙ୍ଗରାଜ ନିକେତନ ।

 

ସ‌ହସା ଭୀଷଣ ଶାର୍ଦ୍ଦୂଳ ଆସିଲା

ମୃଗ ମାରି ସେ ନିର୍ଝରେ,

ଶୋଣିତେ ଆପ୍ଳୁତ ନ‌ଖଦନ୍ତ ତାର

ମୁଖରୁ ଶୋଣିତ କ୍ଷରେ ।

 

ବ୍ୟାଘ୍ର ଦେଖି ଭୀରୁ ଗ‌ହ୍ୱର ଭିତରେ

ଲୁଚିଲା ଭୟ ବିହ୍ୱଳେ,

ତରତରେ ଯାଉ ଉତ୍ତରୀୟ ଦେହୁ

ଖସି ପଡ଼ିଲା ଭୁତଳେ ।

 

ଜଳ ପିଇ ବନେ ବାହୁଡ଼ନ୍ତେ ବ୍ୟାଘ୍ର

ଭେଟିଲା ସେହି ବସନ,

ରକ୍ତ-ଲିପ୍ତ ମୁଖେ ଖଣ୍ଡ ଖଣ୍ଡ କରି,

ପକାଇଲା ସେହି କ୍ଷଣ ।

 

ବ୍ୟଗ୍ରେ ଚାଣ୍ଡେ ଆଗୁଁ ମାର୍ଗରେ କେଦାର

ଦେଖିଲା ବ୍ୟାଘ୍ର ପାହୁଲ,

ଗୌରୀ କଥା ଭାଳି ଅନିଷ୍ଟ ଶଙ୍କାରେ

ହୃଦୟ ହେଲା ଆକୁଳ ।

 

ସଙ୍କେତ ସ୍ଥଳରେ ରକ୍ତାକ୍ତ ଓଢ଼ଣା

ଭେଟି ପଡ଼ିଗଲା କ୍ରମେ,

ତୁଟିଲା ଛଟକେ ହୃଦୟର ତନ୍ତ୍ରୀ

ଶଲ୍ୟ ଫୁଟିଲା ମରମେ ।

 

ଗୌରୀକି ସମ୍ବୋଧି କ‌ହେ ବୀର କାନ୍ଦି

'ଆହାରେ ପରାଣେଶ୍ୱରୀ,

ତୋ ନିଧନଭାଗୀ ମୁହିଁ ସିନା, ଯେଣୁ

ନ ଆସିଲି ବେଗ କରି ।

 

ଶ୍ୱାପଦ ସଙ୍କୁଳ ବନ‌କୁ ନିଶିରେ

ପ୍ରାଣାଧିକାକୁ ପେଷିଲି,

ଧିକ ଏ ପ୍ରାଣକୁ ! ଛାର ପ୍ରାଣ ନେଇ

କିମ୍ପା ଭବନେ ବସିଲି ?

 

ମୋତେ ମାରିବାକୁ ଦୁଃଖୁଁ ତାରିବାକୁ

ନାହିଁ କି ବନେ ଶାର୍ଦ୍ଦୂଳ ?

କରେ ଏ କୃପାଣ ଥାଉଁ କିମ୍ପା ମୁହିଁ

ହେଉଛି ଏଡ଼େ ଆକୁଳ ?

 

ଆଦରେ କେଦାର ହୃଦେ ଜଡ଼ାଇଲା

ରୁଧିରେ ଆର୍ଦ୍ର ଓଢ଼ଣା,

ଝର ଝର ବାରି ନୟନୁ ଝରିଲା

ସରିଲା ସର୍ବ ବାସନା ।

 

କୃପାଣ ଉଦରେ ଭୁଷିଦେଇ ପୁଣି

ନିଜ କରେ ନେଲା କାଢ଼ି,

ରକ୍ତସ୍ରୋତେ ତିନ୍ତି ଅବଶେ ଅବନୀ

ତଳେ ପଡ଼ିଲା କଚାଡ଼ି ।

 

ଗ‌ହ୍ୱରୁ ବାହାରି ଗୌରୀ ସୁକୁମାରୀ

ମିଳିଲା ଆସି ତକ୍ଷଣ,

ଭେଟ ନ ପାଇ ନିରାଶେ ଯିବ ବନ୍ଧୁ

ଏ ଭାବେ ମନ ଉଚ୍ଛନ୍ନ ।

 

ଚମକି ଦେଖିଲା ଚନ୍ଦ୍ରନନୀ ବାଳା

ପୁଂସ ପଡ଼ିଛି ଅଗ୍ରତେ,

ମୃତ୍ୟୁ-ଯନ୍ତ୍ରଣାରେ କମ୍ପୁଛି ଶରୀର

ରୁଧୀର ଝରି ସନ୍ତ‌ତେ ।

 

ରମ୍ଭାପତ୍ର ପ୍ରାୟେ ଥରିଲା ରମ୍ଭୋରୁ

ସ୍ତମ୍ଭିତେ ହେଲା ସେ ଉଭା,

ମନପ୍ରାଣ ଯାକୁ ଦେଇଛି ନିରେଖି

ଦେଖିଲା ସେ ସେହି ଯୁବା ।

 

ମୁଣ୍ଡେ କର ମାରି ବିଧିକି ଧିକ୍କାରି

ଧରାରେ ଲୋଟିଲା ଧନୀ,

କାନ୍ତ ତନୁ କୋଳେ ଧରି ଦୁଃଖ ଭୋଳେ

ଚୁମ୍ବଦେଲା ଚନ୍ଦ୍ରାନନୀ ।

 

ଗଦଗଦ ସ୍ୱରେ କାନ୍ଦି କ‌ହେ ବାଳା

ଏ ଥିଲା ମୋ ଭାଗ୍ୟେ ପୁଣ,

ଏ କି ପ୍ରାଣନାଥ ! କି ଦୋଷ କଲି ମୁଁ ?

କିମ୍ପା ହେଲ ନିଦାରୁଣ ?

 

ତୁମ୍ଭ ବିନୁ ଗତି ନାହିଁ ଏ ଜଗତେ

ବିକା ମୁଁ ତୁମ୍ଭ ପୟରେ,

ପୟରେ ପଡ଼ି ମୁଁ କାତରେ ଡାକୁଛି

ଅନାଅ ଦାସୀକି ଥରେ ।

 

ଚିରପରିଚିତ ବୀଣାଜିଣା ବାଣୀ

ପ୍ରାଣମିତଣୀର ଶୁଣି

ଚାହିଁଲା କେଦାର, ଅନନ୍ତ ନିଦ୍ରାରେ

ମୁଦିଲା ନୟନ ପୁଣି ।

 

ଗଉରୀ କଷଣ ଏକାଳେ ଯେସନ

ତାକୁ କି ଅଛି ବଚନ ?

ଅନୁମାନ ପରା- ଭବମାନେ ଏଥି

ଅନୁଭବ ହିଁ ଭାଜନ ।

 

ନିଜ ଉତ୍ତରୀୟ କାନ୍ତ ହୃଦେ ଦେଖି

ଜାଣିଲା ସବୁ ବୃତ୍ତାନ୍ତ,

ଆତ୍ମଘାତୀ ହେଲା ପ୍ରାଣନାଥ ତାର

ଭ୍ରମରେ ପଡ଼ି ଏକାନ୍ତ ।

 

କାନ୍ଦି କ‌ହେ ବାଳା- ‘‘କର୍ମେ ଏହା ଥିଲା

ଦୈବ କଲା ଏତେ ସରି !

ପ୍ରେମ ଭ୍ରାନ୍ତ ହୋଇ ପ୍ରାଣ ଦେଲେ କାନ୍ତ

ମୁଁ କି ଥିବି ପ୍ରାଣ ଧରି ।

 

ଅମୁଲ୍ୟ ଜୀବନ ଏ ଛାର ଜୀବନ

ହେତୁ କଲେ ବିସର୍ଜନ

ସଙ୍ଖାଳି ହରାଇ ପ୍ରାଣରଙ୍କ ହେବ

ମୁଁ କି ଏଡ଼େ ଅଭାଜନ ?

 

ପରଲୋକ ପଥେ କାନ୍ତ ପାଦ ଚିହ୍ନ

ଯିବି ମୁହିଁ ଅନୁସରି

ମୃତ୍ୟୁ ଘଟାଇଲା ଏ ବିରହ, ମୃତ୍ୟୁ

କରିଦେବ ସ‌ହଚରୀ ।"

 

ଏକାମ୍ର-ଈଶ୍ୱର ପ୍ରଭୁ ଦିଗମ୍ବର

ପାଦପଦ୍ମ ଧ୍ୟାୟି ଚିତ୍ତେ,

ସାହସ ବିନ୍ଧିଲା ହୃଦୟେ ଅବଳା

ପ୍ରାଣ ଦେବ କାନ୍ତ ପ୍ରୀତେ ।

 

ଧନ୍ୟ ସେ ପ୍ରିତୀକି ! ମରନ ରୀତିକି

ପ୍ରିତୀ ଯେ ପାରଇ ଜିଣି

ଶିରିଷମୃଦୁଳା ଲବଣୀପିତୁଳା

ପ୍ରୀତି କଲା ସାହସିନୀ ।

 

ପଡ଼ିଲା କୃପାଣ- ମୁନେ ମହାବେଗେ

ମୃତ କାନ୍ତ-ମୁଖ ଧ୍ୟାୟି,

ବକ୍ଷୋରୁହ ସନ୍ଧି ତଳେ ଫୁଟି ଅସ୍ତ୍ର

ପୃଷ୍ଠେ ବାହାରିଲା ଯାଇ ।

 

ସ୍ୱପ୍ନାଦେଶ ପାଇ ଉଷାଯୋଗେ ଯାଇ

ଲ‌ଲାଟକେଶରୀ ବୀର,

ଦେଖିଲେ ଯୁଗଳ କିଶୋରୀ କିଶୋର

ଶୋଇଛନ୍ତି ଝର ତୀର ।

 

ସନ୍ଧ୍ୟାରାଗ ବୋଳା ରଥାଙ୍ଗ ମିଥୁନ

ମୃତ କି ନବ ବିଚ୍ଛେଦେ ?

ଶ୍ରୀମୁଖ ଲାବନ୍ୟ ଦିଶେ ସୁପ୍ରସନ୍ନ

ମୃତ୍ୟୁ ଛୁଇଁ ନାହିଁ ଖେଦେ ।

 

ବନ ଦେବତାଏ ବନ ପୁଷ୍ପ ତୋଳି

ଢାଳିଛନ୍ତି ବେନିପରେ,

ଦେବେ ଯଥା ପ୍ରେମ ମହିମା ବୁଝନ୍ତି

ତା କାହୁଁ ବୁଝିବେ ନରେ ।

 

ବେନୀଙ୍କର ଗୁଣ ସ୍ମରି ଝୁରିହେଲେ

ଏକାମ୍ର ନ‌ଗର ଲୋକେ,

ବେନିଙ୍କ ଅନ୍ତିମ- ମଣ୍ଡନ ବିହିଲେ

ଜରଜର ହୋଇ ଶୋକେ ।

 

ବେନିଙ୍କ ଅନଳ- ସଂସ୍କାର କରାଇ

ଦେଉଳ ତୋଳାଇ ତ‌ହିଁ,

ବେନିଙ୍କ ନାମରେ ପ୍ରତିମା ସ୍ଥାପିଲେ

ନରପତି ଆଜ୍ଞା ବ‌ହି ।

Image